
କେନ୍ଦ୍ରାପଡ଼ା, ୧୬ ଅପ୍ରେଲ – କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ତ୍ରିବିକ୍ରମ କେଶରୀ ଚିନାରା ଜଣେ ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲ ଓ ୩୧ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ୨୦୧୯ ମସିହା ଜୁନ ମାସ ୧୬ ତାରିଖରେ ରାତି ପ୍ରାୟ ୮ ଘଟିକା ସମୟରେ କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଚକଡା ଗ୍ରାମର ଜନୈକ ମହିଳା ଘରେ ଏକୁଟିଆ ଥିବାର ଦେଖି ସେହି ଗ୍ରାମର ଗୁଣନିଧି ମଳିକ ଓରଫ ପାତିଆ ତାଙ୍କ ଘରେ ଜୋର ଜବରଦସ୍ତ ପ୍ରବେଶ କରି ମହିଳାଙ୍କୁ ଦୁଷ୍କର୍ମ କରିଥିବା ତାଙ୍କ ସ୍ୱାମୀ କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ୧୦୫/୧୯ ରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ଘଟଣାର ତଦନ୍ତ କରିଥିଲେ । ସେହି ମାମଲା ଏସ୍ଟି କେଶ ନଂ-୪/୨୨ର ଶୁଣାଣି କରି ୧୨ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ମାନ୍ୟବର ବିଚାରପତି ଶ୍ରୀ ଚିନାରା ଆସାମୀ ଗୁଣନିଧି ଓରଫ ପାତିଆକୁ ୧୦ ବର୍ଷ ଜେଲ ଓ ୩୧ ହଜାର ଟଙ୍କା ଜରିମାନା ରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦାୟ ଆଉ ୧ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ମାମଲାକୁ ସରକାରୀ ଓକିଲ ସଂଜୟ କୁମାର ଜେନା ପରିଚାଳନା କରିଥିଲେ ।