କୋରେଇ : ରାଜ୍ୟରେ ଦିନକୁ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ଯୁବପିଢିଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ନିଶାଦ୍ରବ୍ୟ ଦ୍ୱାରା କବଳିତ । ଯାଜପୁର ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଭାବେ ପରିଚିତ ପାଣିକୋଇଲିରେ ଖୁଲମ୍ଖୁଲା ଭାବେ ବିକ୍ରି ହେଉଛି ମଦ । ବଜାରର ବିଭିନ୍ନ ସ୍ଥାନରେ ବେଧଡ଼କ ଭାବେ ଚାଲିଛି ମଦ ବେପାର । ହାତ ପାହାନ୍ତାରେ ବେଆଇନ ମଦ ସହ ଅନ୍ୟାନ୍ୟ ନିଶାଦ୍ରବ୍ୟ କାରବାର ଚାଲୁଥିଲେ ମଧ୍ୟ ଅବକାରୀ ବିଭାଗ ତଥା ପୁଲିସ ପ୍ରଶାସନ ନୀରବଦ୍ରଷ୍ଟା ପାଲଟି ଥିବାରୁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ପାଣିକୋଇଲିରେ ଏକାଧିକ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ରହିଥିବାବେଳେ ଅନେକ ଛୋଟ ଛୋଟ ଦୋକାନୀମାନେ ବେଆଇନ ଭାବେ ମଦ ସହ ଅନ୍ୟାନ୍ୟ ନିଶାଦ୍ରବ୍ୟ ବେପାର କରୁଛନ୍ତି । ପ୍ରକାଶ ଯେ ପାଣିକୋଇଲି ବଜାରରେ ଥିବା ଏକ ପୁରୁଣା ହୋଟେଲ ପଛପଟେ ଏକ ବେଆଇନ କାଉଂଟର ଖୋଲିଛି । ସ୍ଥାନୀୟ ରାଉତରାପୁର ଅଂଚଳର ଜନୈକ ଚୋରା ମଦ ବେପାରୀ ଏହି କାଉଂଟର ଚଳାଉଥିବା ନେଇ କୁହାଯାଉଥିବାବେଳେ ହୋଟେଲ ପଛପଟେ ଥିବା ଏହି ପରିତ୍ୟକ୍ତ ଗୃହରେ ୨୪ ଘଂଟା ଏହି ବେଆଇନ ମଦ କାଉଂଟର ଖୋଲାରହୁଛି । ବିଶେଷ କରି ସଂଧ୍ୟା ସମୟରେ ଏହି ବେଆଇନ ମଦ କାଉଂଟର ଆଗରେ ଧାଡି ଲଗାଇ ମଦ ନେଉଛନ୍ତି ଗ୍ରାହକ । ଏହି ବେଆଇନ ମଦ କାଉଂଟର ଠାରୁ ପାଣିକୋଇଲି ଥାନା ମାତ୍ର ୧୦୦ ମିଟର ଦୂରରେ ରହିଥିବାବେଳେ ପ୍ରତ୍ୟହ ପାଣିକୋଇଲି ପୁଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲେ ମଧ୍ୟ ପାଣିକୋଇଲି ପୁଲିସ କିମ୍ବା ଅବକାରୀ ବିଭାଗ କିଭଳି ଏହାର ସୁରାକ ପାଉନି ତାହା ପୁଲିସର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପାଣିକୋଇଲି ବଜାର ଅଂଚଳରେ ଅନେକ ସରକାରୀ ଓ ବେସରକାରୀ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ରହିଛି । ଏହି ବେଆଇନ ମଦ କାଉଂଟର ଯୋଗୁଁ ବିଶେଷ କରି ମହାବିଦ୍ୟାଳୟରେ ପଢୁଥିବା ଅଳ୍ପ ବୟସର ପିଲାମାନେ କୁପଥଗାମୀ ହେଉଛନ୍ତି । ପାଣିକୋଇଲି ବଜାର ସହ ପାଣିକୋଇଲିର ଅନ୍ୟାନ୍ୟ ଅଂଚଳରେ ପୁଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବାବେଳେ ସେହି ରାସ୍ତାଦେଇ ଦୈନିକ ମଦ ନେଇ ଗ୍ରାହକ ସହ ଚୋରା ବେପାରୀ ଯିବାଆସିବା କରୁଥିବାବେଳେ ଏହାର ସାମାନ୍ୟ ତମ ସୁରାକ ପାଉନି ପୁଲିସ । ସମଗ୍ର ପାଣିକୋଇଲି ବଜାର ଏକ ଶାନ୍ତିପୂର୍ଣ୍ଣ ବଜାର ହୋଇଥିବାବେଳେ ବର୍ତମାନ ପାଣିକୋଇଲି ବଜାରରେ ବେଆଇନ ମଦ ତଥା ନିଶାଦ୍ରବ୍ୟ କାରବାର ଯୋଗୁଁ ସମଗ୍ର ଅଂଚଳରେ ମଦୁଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ଏଥିପ୍ରତି ଥିବା ପ୍ରଶାସନର ଦାୟିତ୍ୱ ତଥା କାର୍ଯ୍ୟ ଦକ୍ଷତା ଉପରେ ଜନସାଧାରଣଙ୍କର ଅସନ୍ତୋଷ ସୃଷ୍ଟି ହୋଇଛି । ଏଣୁ ତୁରନ୍ତ ପାଣିକୋଇଲି ପୁଲିସ ସହ ପ୍ରଶାସନ ଏବଂ ଅବକାରୀ ବିଭାଗ ଏ ଦିଗରେ ଦୃଷ୍ଟିଦେଇ ବେଆଇନ ମଦ ବେପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି । ତେବେ ଏ ସମ୍ପର୍କରେ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ ସ୍କ୍ୱାର୍ଡର ସବ ଇନ୍ସପେକ୍ଟର ବିଭୁପ୍ରସାଦ ସାହୁଙ୍କୁ ପଚାରିବାରୁ ପୂର୍ବରୁ ଏଭଳି ଅଭିଯୋଗ ଆସିଥିଲା ଏବଂ ସେତେବେଳେ ବେଆଇନ ମଦ ବେପାରୀଙ୍କୁ ଗିରଫ କରାଯାଇଥିଲା । ବର୍ତମାନ ଆସିଥିବା ଅଭିଯୋଗର ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
Related Stories
March 29, 2026
