ଭୁବନ : ଭୁବନ ଥାନା ଅନ୍ତର୍ଗତ ମର୍ଥାପୁର ପଂଚାୟତର ଓଢ଼ଣା ଗ୍ରାମରେ ସରକାରଙ୍କ ତରଫରୁ ମେଘା କମ୍ପାନୀ ଦ୍ୱାରା ଏକ ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଛି । ଏହି ପ୍ରକଳ୍ପ ପାଇଁ ବ୍ୟବହୃତ ଲୁହା ଛଡ଼ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଅଁଳାପାଳ ଗ୍ରାମରେ ଏକ ଷ୍ଟକ ୟାର୍ଡ କରି ରଖା ଯାଇଛି । ଗତ କିଛିଦିନ ତଳେ ଉକ୍ତ ଷ୍ଟକ ୟାର୍ଡ୍ ରୁ ବିପୁଳ ପରିମାଣର ଲୁହାଛଡ଼ ଚୋରି ହୋଇଥିଲା । ଏ ସମ୍ପର୍କରେ ଗତକାଲି ଭୁବନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ଓ କେଶ୍ ନମ୍ୱର୍ ୩୪୦/୨୧.୮.୨୦୨୩ ଦଫା ୩୮୧,୪୧୧,୩୪ ରେ ମାମଲା ରୁଜୁ ହୋଇଥିଲା । ଭୁବନ ଥାନା ତରଫରୁ ତଦନ୍ତ ଆରମ୍ଭ ହୋଇ କମ୍ପାନୀର କେତେକ କର୍ମଚାରୀଙ୍କୁ ପଚରା ଉଚରା କରାଯାଇଥିଲା । ପୋଲିସ ପ୍ରଶ୍ନର ସଠିକ୍ ଉତର ଦେଇ ନପାରିବା, ତଥ୍ୟରେ ତାଳ ମେଳ ନରହିବା ଯୋଗୁ ସନ୍ଦିଗ୍ଧ କର୍ମଚାରୀ ମାନଙ୍କୁ ଅଟକ ରଖି ତଦନ୍ତ କରିବାରୁ ସେମାନେ ସବୁ ସତ ମାନିଯାଇଥିଲେ । ମେଘା କମ୍ପାନୀର ସିକ୍ୟୁରିଟି ଗାର୍ଡ ପ୍ରଶାନ୍ତ ନାୟକ, ଟିପର ଡ଼୍ରାଇଭର ପ୍ରଶାନ୍ତ କୁମାର ସାହୁ, ଷ୍ଟୋର କିପର ଏନ୍ ରମେଶ ନାଏକ, ଷ୍ଟୋର କିପର ଅମିତ କୁମାର ସ୍ୱାଇଁ,ଷ୍ଟୋର ଆସୋସିଏଟ ଆଶୁତୋଷ ବେହେରା ଏବଂ ଚୋରୀ ଲୁହା ଛଡ଼ କିଣିଥିବା ବ୍ୟକ୍ତି ଭୁବନ ଥାନା ଅନ୍ତର୍ଗତ ଆଦିପୁରା ଗ୍ରାମର ସ୍ୱର୍ଗତ ଦାମୋଦର ସାହୁଙ୍କ ପୁତ୍ର କଳାକାର ସାହୁ (୪୯)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉପରୋକ୍ତ ୬ ଜଣ ଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଗତ ୧୩ ତାରିଖ ଦିନ ବେଳା ଓଡ଼ି ୦୫ ଜେ -୯୯୯୦ ନମ୍ୱର୍ ବିଶିଷ୍ଟ ଟ୍ରକ୍ ରେ ୫୦ ଖଣ୍ଡ ୧୦ ଏମ ଏମ ଲୁହା ଛଡ଼, ୮ ଏମ ଏମ ୧୧୭ ଖଣ୍ଡ ଲୁହା ଛଡ଼ (ପ୍ରତ୍ୟେକ ଲମ୍ବା ୧୨ ମିଟର) ମୋଟ ୧୦ କ୍ୱିଂଟାଲ ଲୁହା ଛଡ଼କୁ ମାତ୍ର ୩୫୦୦୦ ଟଙ୍କାରେ ବିକ୍ରି କରାଯାଇଥିଲା । ସମସ୍ତ ଲୁହା ଛଡ଼ କୁ ଉଦ୍ଧାର କରାଯାଇ କମ୍ପାନୀ କୁ ହସ୍ତାନ୍ତର କରାଯାଇଥିଲା ଓ ଏହି ଚୋରୀ ରେ ବ୍ୟବହୃତ ଟ୍ରକ୍କୁ ମଧ୍ୟ ଜବତ କରାଯାଇଛି ବୋଲି ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।
Related Stories
March 29, 2026
