ମହାରାଷ୍ଟ୍ରର ନାସିକରେ କୂଅରେ ପଡ଼ିଲା କାର୍, ଗୋଟିଏ ପରିବାରର ୬ ଜଣ ପିଲାଙ୍କ ସହିତ ୯ ଜଣଙ୍କର ମୃତ୍ୟୁ
ମହାରାଷ୍ଟ୍ରର ନାସିକରେ ଏକ ବଡ଼ ସଡକ ଦୁର୍ଘଟଣା ଘଟିଛି। ସହରର ଶିବାଜୀନଗର ଅଞ୍ଚଳରେ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ରାସ୍ତାର ଗୋଟିଏ ପାର୍ଶ୍ୱରେ ଥିବା ଏକ କୂଅରେ କାର୍ ପଡ଼ିଯିବା ଫଳରେ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଛି। ଏହି ଘଟଣାରେ ସମଗ୍ର ଡିଣ୍ଡୋରୀ ତାଲୁକାରେ ଶୋକର ଛାୟା ଖେଳିଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଶିବାଜୀନଗରର ରାଜେ ବ୍ୟାଙ୍କ୍ୱେଟ୍ ହଲ୍ରେ ବଡ଼ଜେ କ୍ଲାସେସ୍ ତରଫରୁ ଏକ ବୈଠକର ଆୟୋଜନ କରାଯାଇଥିଲା। ବୈଠକ ପାଇଁ ଇନ୍ଦୌରେ (ତାଲୁକା ଡିଣ୍ଡୋରୀ)ରୁ ଦରଗୋଡ଼େ ପରିବାର ଆସିଥିଲେ। ବୈଠକ ଶେଷ ହେବା ପରେ ଦରଗୋଡ଼େ ପରିବାର ନିଜ ମାରୁତି ଏକ୍ସଏଲ୍ କାର୍ରେ ଘରକୁ ଫେରୁଥିଲେ। ସେହି ସମୟରେ ଡ୍ରାଇଭର୍ ନିୟନ୍ତ୍ରଣ ହରାଇବା ଫଳରେ କାର୍ ସଡ଼କ ପାର୍ଶ୍ୱରେ ଥିବା ପାଣିରେ ଭର୍ତ୍ତି କୂଅରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କର ଭାରୀ ଭିଡ଼ ଲାଗିଯାଇଥିଲା।
ଦୁର୍ଘଟଣା ସଂପର୍କରେ ଖବର ପାଇବା ପରେ ସ୍ଥାନୀୟ ତହସିଲଦାର ମୁକେଶ କାମ୍ବଳେ, ପୋଲିସ ଇନ୍ସପେକ୍ଟର ଭଗବାନ୍ ମାଥୁରେ, ଚିଫ୍ ଅଫିସର ସନ୍ଦୀପ ଚୌଧୁରୀ ପୋଲିସ, ଫାୟାର୍ ବ୍ରିଗେଡ୍, ଡିଜାଷ୍ଟର ମ୍ୟାନେଜମେଣ୍ଟ ଟିମ୍ ଏବଂ ସ୍ଥାନୀୟ ଲୋକଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। କୂଅ ପାଣିରେ ଭର୍ତ୍ତି ଥିବାରୁ ଉଦ୍ଧାର କାର୍ଯ୍ୟରେ ବହୁ ଅସୁବିଧା ହୋଇଥିଲା। ଅର୍ଦ୍ଧରାତ୍ରିରେ ଦୁଇଟି କ୍ରେନ୍ ସାହାଯ୍ୟରେ କାର୍କୁ ବାହାର କରାଯାଇଥିଲା।
ଏହି ଦୁର୍ଘଟଣାରେ କାର୍ ଭିତରୁ ୮ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।କୂଅରେ ବୁଡିଯାଇଥିବା ଜଣେ ଝିଅର ସଂଧାନ ପାଇଁ ବିଶେଷ ଅପରେସନ୍ ଚଳାଯାଇଥିଲା। ପରେ ତା’ର ମୃତଦେହ ମଧ୍ୟ ମିଳିଥିଲା।ମୃତକମାନଙ୍କ ମଧ୍ୟରେ ସୁନୀଲ୍ ଦତ୍ତାତ୍ରେୟ ଦରଗୋଡ଼େ (୩୨), ରେଶମା ସୁନୀଲ୍ ଦରଗୋଡ଼େ (୨୭), ରାଖୀ ଉର୍ଫ୍ ଗୁଣବନ୍ତୀ (୧୦), ମାଧୁରୀ ଅନିଲ୍ ଦରଗୋଡ଼େ (୧୩), ଶ୍ରବଣୀ ଅନିଲ୍ ଦରଗୋଡ଼େ (୧୧), ଆଶା ଅନିଲ୍ ଦରଗୋଡ଼େ (୩୨), ଶ୍ରେୟସ୍ ଅନିଲ୍ ଦରଗୋଡ଼େ (୧୧), ସୃଷ୍ଟି ଅନିଲ୍ ଦରଗୋଡ଼େ (୧୪) ଏବଂ ସମୃଦ୍ଧି ରାଜେଶ ଦରଗୋଡ଼େ (୭) ଅନ୍ତର୍ଭୁକ୍ତ।
ଊଦ୍ଧାର କାର୍ଯ୍ୟ ପାଇଁ ଏନ୍ଡିଆର୍ଏଫ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ରାତି ବିଳମ୍ବ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଡିଣ୍ଡୋରୀ ପୋଲିସ ଏହି ହୃଦୟବିଦାରକ ଘଟଣାକୁ ରେକର୍ଡ କରି ଆଗକୁ ତଦନ୍ତ ଚଳାଉଛି।
