ବିଜେଡି ପକ୍ଷରୁ ଉତ୍କଳ ଦିବସ ପାଳନ, ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ଦେବା ପାଇଁ ଦାବି
ଭୁବନେଶ୍ୱର, 01 ଏପ୍ରିଲ୍ – ଆଜି ଉତ୍କଳ ଦିବସ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ,ରାଜନୈତିକ ଦଳ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି । ଭୁବନେଶ୍ୱର ରାଜଭବନ ନିକଟସ୍ତ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଓଡ଼ିଶା ଗଠନରେ ଯୋଗଦାନ ଦେଇଥିବା ବିଭିନ୍ନ ବରପୁତ୍ରକୁ ମନେ ପକାଇଛନ୍ତି ବିଜେଡିର ନେତୃବୃନ୍ଦ ମାନେ । ଏହା ଛଡ଼ା ନୂତନ ଓଡିଶା ଗଠନ ପାଇଁ ବିଜୁ ପଟ୍ଟନାୟକଙ୍କ କାର୍ଯ୍ୟକୁ ମଧ୍ୟ ମନେପକାଇଛନ୍ତି । ଉତ୍କଳ ଦିବସ ଅବସରେ ଏହି ମାଲ୍ୟାର୍ପଣ ଉତ୍ସବରେ ବିଜେଡି ବରିଷ୍ଠ ନେତା ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରିନାରାୟନ ପାତ୍ର, ଦୁଇ ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା , ଭୁବନେଶ୍ୱର ମେୟର ଓ ଅନ୍ୟନ୍ୟ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ । ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ମିଳିବା ସତ୍ୱେ ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ମିଳିନାହିଁ। ତେଣୁ ରାଜ୍ୟ ଓ କେନ୍ଦ୍ରରେ ଉଭୟ ବିଜେପି ସରକାର ଥିବାରୁ ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ଦେବା ପାଇଁ ଦାବି କରିଛି ବିଜେଡି। ଏହା ଛଡ଼ା ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ଗ୍ରହଣ କରାଯାଇଥିବା ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ମଧ୍ୟ ବିଜେଡି କହିଛି । ଏ ଦିଗରେ ନୂତନ ସରକାର ଆସିବା ପରେ ବ୍ୟତିକ୍ରମ ଦେଖାଦେଇଥିବା ବିଜେଡି ନେତା ଅଭିଯୋଗ କରିଛନ୍ତି।
