ଭୁବନେଶ୍ୱର : – ବିଭିନ୍ନ ବିଭାଗରେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ପଦବି ଖାଲି ପଡ଼ିଥିବାବେଳେ ରାଜ୍ୟ ସରକାର ସେଗୁଡ଼ିକ ପୂରଣ ନ କରି ଶିକ୍ଷତ ଯୁବକ ଯୁବତୀଙ୍କୁ ନିର୍ବାଚନ ସମୟରେ ନୂଆ ନୂଆ ଯୋଜନା ନାଁରେ ଭଣ୍ଡାଉଛନ୍ତି । ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ବଦଳରେ ସଶକ୍ତୀକରଣ ଆଳରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରୁଛନ୍ତି । ରାଜ୍ୟର ପ୍ରକୃତ ବିକାଶ କଥା ଚିନ୍ତା ନକରି ଲୋକଙ୍କ ଟଙ୍କା ଲୋକଙ୍କୁ ବାଂଟି ନିର୍ବାଚନୀ ଲଲିପପ୍ ଧରାଉଛନ୍ତି । ଖାଲି ସେତିକି ନୁହେଁ, ବିଜେଡି ସରକାର ଦଳୀୟ ପ୍ରଚାର ପାଇଁ ରାଜ୍ୟ ରାଜକୋଷକୁ ଲୁଟୁଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ.ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି ।
ଗୁରୁବାର କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ.ମହାନ୍ତି କହିଲେ ଯେ ନବୀନ ବାବୁ ସରକାରୀ ଅର୍ଥରେ ବିଜୁ ଜନତା ଦଳର ପ୍ରଚାର କରୁଛନ୍ତି । ସରକାରୀ ଯୋଜନାରେ ଶଙ୍ଖଚିହ୍ନ ଲାଗୁଛି । ଯାହାକୁ ନେଇ ଗତକାଲି ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ସ୍ପଷ୍ଟୀକରଣ ମାଗିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବିଜେଡି ସରକାର ଏତେ ତଳକୁ ଖସିଯାଇଛନ୍ତି ଯେ ଓଡ଼ିଆଙ୍କ ପରିଚୟ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ଦଳୀୟ ପ୍ରଚାରରୁ ବାଦ୍ ଦେଇନାହାନ୍ତି । ଅର୍ପଣ ରଥରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ତାମିଲ ବାବୁଙ୍କ ଫଟୋ ଲଗାଇ ପ୍ରଚାର କରାଗଲା । ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ଓ ଦଳୀୟ ପ୍ରଚାର ପାଇଁ ସରକାରୀ ତହବିଲରୁ ନେଇଥିବା କୋଟି କୋଟି ଟଙ୍କା ଫେରସ୍ତ କରନ୍ତୁ ବୋଲି ଡ. ମହାନ୍ତି କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଗତ ୨ସପ୍ତାହ ମଧ୍ୟରେ ଡଜନେରୁ ଅଧିକ ଯୋଜନା ଘୋଷଣା ହେଲାଣି । କେବଳ ଭୋଟ୍ ହାତେଇବା ପାଇଁ ଏବଂ ନିଜର ପ୍ରଚାର କରିବା ପାଇଁ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରିଚାଲିଛନ୍ତି । ଭାରତ ସରକାରଙ୍କ ଏନ୍ଏସ୍ଏସଓର ରିପୋର୍ଟ ଅନୁଯାୟୀ, ପ୍ରତ୍ୟକ ଭାରତୀୟଙ୍କ ଖର୍ଚ୍ଚ ଗତ ୧୦ବର୍ଷରେ ୩ଗୁଣା ବଢ଼ିଛି । ଏହାର ମୁଖ୍ୟ କାରଣ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷକଙ୍କ ଆୟ ଦୁଇଗୁଣା କରିବାକୁ ଘୋଷଣା କରିଥିବାବେଳେ ବର୍ତମାନ ସୁଦ୍ଧା ତାହା କରିପାରିନାହାନ୍ତି, ଅଥଚ ଖର୍ଚ୍ଚ ତିନିଗୁଣା ବଢ଼ିଗଲାଣି ।
ରାଜ୍ୟରେ କୃଷି ବଜେଟ ରହିଥିବାବେଳେ ଚାଷୀଙ୍କ ଜମିକୁ ଜଳସେଚନ, ଏମଏସ୍ପି, ସବ୍ସିଡି ଆଦି ମିଳିପାରିଲାନି । ସେମାନଙ୍କ ଆୟ ବଢ଼ିପାରିଲାନି । ଅନ୍ୟପକ୍ଷରେ ଏବେ ଯୁବ ବଜେଟ କଥା କହି ସରକାର ଯୁବବର୍ଗଙ୍କୁ ଭଣ୍ଡାଇବାକୁ ବସିଛନ୍ତି । ସ୍ୱୟମ ଯୋଜନାରେ ସରକାର ୧ଲକ୍ଷ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଛନ୍ତି । ଏହି ଯୋଜନା ମାତ୍ର ୨ବର୍ଷ ଚାଲିବ । ତେବେ ଏହି ୧ଲକ୍ଷ ଟଙ୍କା ନେଇ ୨ବର୍ଷ ମଧ୍ୟରେ ଯୁବବର୍ଗ ସ୍ୱାବଲମ୍ବୀ ହୋଇପାରିବେ କି ବୋଲି ଡ.ମହାନ୍ତି ପ୍ରଶ୍ନ କରିଛନ୍ତି । ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭଳି ଆମ ମହାପୁରୁଷମାନଙ୍କ ଓଡ଼ିଶାକୁ ଆଜି ନବୀନ ଓଡ଼ିଶା ନାମରେ କରିନେବାକୁ ‘ନୂଆ ଓ-ନବୀନ ଓଡ଼ିଶା’ କରାଯାଇଛି । ଏହି ଯୋଜନାରେ କୋଟି କୋଟି ଟଙ୍କା ହରିଲୁଟ୍ କରି ରାଜ୍ୟ ସରକାର ଓଡ଼ିଆଙ୍କୁ ଶଙ୍ଖ ମାର୍କା ଦୁଇଟି ତାମିଲ ଅଖା ବ୍ୟାଗ ଧରାଇ ଦେଇଛନ୍ତି । ବର୍ତମାନ ରାଜ୍ୟରେ ଯୁବବର୍ଗଙ୍କ ସଂଖ୍ୟା ୩୪ପ୍ରତିଶତ । ସେମାନଙ୍କ ଭବିଷ୍ୟତକୁ ରାଜ୍ୟ ସରକାର ନଷ୍ଟ କରିବାକୁ ବସିଛନ୍ତି ।
ସେହିପରି ଭାରତୀୟ ଜନତା ପାର୍ଟିକୁ ସମାଲୋଚନା କରି ଡ. ମହାନ୍ତି କହିଛନ୍ତି, କଂଗ୍ରେସ ଶାସନ ସମୟରେ ଓଡ଼ିଶା ରାଜ୍ୟ ବଜେଟର ୪୭ ପ୍ରତିଶତ ଅର୍ଥ କେନ୍ଦ୍ରରୁ ମିଳିଥିଲା । କିନ୍ତୁ ମୋଦି ସରକାର ୨୦୧୪ରୁ ୨୦୨୪ ମଧ୍ୟରେ ଓଡ଼ିଶାକୁ ରାଜ୍ୟ ବଜେଟର ମାତ୍ର ୪୧ ପ୍ରତିଶତ ଦେଇଛନ୍ତି । ୬ ପ୍ରତିଶତ କମ୍ ଅର୍ଥ ଦେଇଥିଲେ ମଧ୍ୟ ମୋଦି ସରକାର ସବୁଠି ଅଧିକ ଅନୁଦାନ ଦେଇଥିବା କହି ମିଥ୍ୟା ପ୍ରଚାର ଚଳାଇଛନ୍ତି । ତେଣୁ ରାଜ୍ୟବାସୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରଚାରରେ ଭ୍ରମିତ ନ ହେବାକୁ ଡ. ମହାନ୍ତି ଅନୁରୋଧ କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ, ଅଭିଷେକ ମହାନନ୍ଦ ଓ ଜୟଶ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।