ପ୍ରଚାର ସଭାରେ ବିଜେପି ଉପରେ ବର୍ଷିଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୦୩ ନଭେମ୍ବର – ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି। ଏମିତି କହି ନୂଆପଡାରେ ଆୟୋଜିତ ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।
ରାଜେନ୍ଦ୍ର ଢୋଲକିଆ ଆମ ଭିତରେ ନାହାନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛୁ। ନୂଆପଡ଼ା କଥା ଆସିଲେ ବିଜୁବାବୁଙ୍କ କଥା ମନକୁ ଆସେ। ସେ ହିଁ ନୂଆପଡା ଜିଲ୍ଲା ଗଠନ କରିଥିଲେ। ବିଜେଡି ସରକାର ସମୟରେ ରାଜୁ ବାବୁ ଯାହା ମାଗିଥିଲେ ସବୁ ଦେଇଥିଲି। ଆମ ସରକାର ସମୟରେ ବିଜୁ ଏକ୍ସପ୍ରେସ ହୋଇଥିଲା। ଚେକ ଡେମ ହୋଇଥିଲା। ସୁନାଦେଇ ମନ୍ଦିର ଉନ୍ନତି ହୋଇଥିଲା । ଆଦିବାସୀ ଭାଇ ଓ ଭଉଣିଙ୍କୁ ଜଙ୍ଗଲ ଜମି ଅଧିକାର ମିଳିଲା। ମିଶନ ଶକ୍ତି ମହିଳାଙ୍କୁ ଲୋନ ମିଳିଲା। ନୂଆପଡ଼ାରେ ଆପଣଙ୍କ ସହ ଓ ମୋ ସହ ବେଇମାନି ହୋଇଛି । ଏହାକୁ ନେଇ ଆପଣଙ୍କ ମନରେ ଦୁଃଖ ଅଛି। ଯାହାକୁ ଆପଣ ୧୧ ତାରିଖରେ ଭୋଟ ଦେଇ ଜବାବ ଦେବେ। ଏହାର ପ୍ରତିଷୋଧ ନେବେ। ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି। ଏହି ସରକାର କାମରେ ଜିରୋ । ଆପଣଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ମିଳୁଛି କି। ସବୁ ବୁଢା ବୁଢ଼ୀକୁ ୩୫୦୦ ଟଙ୍କା ମିଳୁଛି କି। ଚାଷୀଙ୍କୁ ସାର ମିଳୁଛି କି। କଟନୀ ଛଟନୀ ବନ୍ଦ ହୋଇଛି କି। ଆପଣଙ୍କ ଗାଁରୁ କେତେ ଯୁବକ ଚାକିରୀ କରୁଛନ୍ତି। ଆପଣ କୁହନ୍ତୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ନା ଆୟୁଷମାନ କାର୍ଡ ଭଲ ଥିଲା। ମହିଳାଙ୍କ ଉପରେ ଅତ୍ୟାଚାର ବଢିଛି। ଏ ସରକାର ହେଉଛି ନେମ ଚେଞ୍ଚର। ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି। ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସେ ଲଢ଼େଇ କରିଛନ୍ତି। ମୋର ଅନୁରୋଧ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ। ବିଜେଡିକୁ ଆଶୀର୍ବାଦ କରନ୍ତୁ। ମୋତେ ଆପଣ ଆଶୀର୍ବାଦ କରନ୍ତୁ। ମୁଁ ଏମିତି ଓଡ଼ିଶା ମାର ସେବା ଜାରି ରଖିବି।
