
ଏଣିକି ସମ୍ବଲପୁର ଓ ଭବାନୀପାଟଣାରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ
ସମ୍ବଲପୁର: କଳାହାଣ୍ଡିର ସମୃଦ୍ଧ ଇତିହାସ, ସଂସ୍କୃତି ଓ ଉନ୍ନତ କୃଷି ପ୍ରଣାଳୀ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆମ ସରକାର ହେଉଛି ଲୋକଙ୍କ ସରକାର। ଆଗାମୀ ଦିନରେ ସରକାର ଯିବେ ଲୋକଙ୍କ ପାଖକୁ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଭବାନୀପାଟଣାରେ ଓ ସମ୍ବଲପୁରରେ ମଧ୍ୟ ହେବ ବୋଲି ଘୋଷଣା କରିଥିଲେ। ଏହି ସମୟରେ ଉପସ୍ଥିତ ଜନସାଧାରଣ ଏହାକୁ ସ୍ୱାଗତ କରି ହୁଳହୁଳି ଓ କରତାଳି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପଂଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ କହିଥିଲେ ଯେ, ଗାଁରେ ରହୁଥିବା ଲୋକଙ୍କର ଦୀର୍ଘ ଦିନର ସମସ୍ୟା ସବୁ ରହିଥିଲା। ସେମାନଙ୍କ ସମସ୍ୟା ଦୂର କରିବା ପାଇଁ ଆମେ ସମସ୍ତେ କାର୍ଯ୍ୟରତ ଅଛୁ। ଆମ ସରକାର ହେଉଛି ଲୋକଙ୍କ ସରକାର। ଅନ୍ତ୍ୟୋଦୟ ଗୃହ ଯୋଜନା ହେଉ, କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ଆମର କୌଣସି ଥିରେ ପାତର ଅନ୍ତର ରହିବ ନାହିଁ, କିମ୍ବା କୌଣସି ବ୍ୟତିକ୍ରମ ଘଟିବ ନାହିଁ। ଗ୍ରାମାଂଚଳବାସୀଙ୍କ ଯାହା ବି ମୌଳିକ ଆବଶ୍ୟକତା ରହିଛି, ତାହା ନିଶ୍ଚୟ ପୂରଣ ହେବ । ଗରିବ ଲୋକଙ୍କ ପ୍ରତି ଅବହେଳା କଲେ ସରକାରୀ କର୍ମଚାରୀମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟ୍ଟଜୋଶୀ ଓ କଳାହାଣ୍ଡି ଜିଲ୍ଲା ପରିଷଦ ସଭାପତି ଶ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ।