
ଭୁବନେଶ୍ୱର ତା. ୨୫.୪- ସାଧ।।ରଣ ନିର୍ବାଚନ ପୂର୍ବରୁ ବିଜେଡ଼ିକୁ ଲାଗିଛି ଜୋରଦାର ଝଟକା । ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗଦେଇଛନ୍ତି ସମ୍ବଲପୁରର ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର କୁମାର ପ୍ରଧାନ । କଂଗ୍ରେସ ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀ ପ୍ରଧାନ ଆଜି କଂଗ୍ରେସ ଭବନ ଠାରେ ଆୟୋଜିତ ମିଶ୍ରଣପର୍ବ କାର୍ଯ୍ୟକ୍ରମରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର, ସହ ପ୍ରଭାରୀ ସାହାନୱାଜ ଚୌଧୁରୀ, ପ୍ରଚାର କମିଟିର ଅଧ୍ୟକ୍ଷ ଶ୍ରୀ ଭକ୍ତଚରଣ ଦାସ, ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି ଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ପ୍ରଭାରୀ ଡ. ଅଜୟ କୁମାର ଦଳକୁ ସ୍ୱାଗତ କରିବା ଅବସରରେ କହିଥିଲେ ଶ୍ରୀ ପ୍ରଧାନଙ୍କ ଯୋଗଦାନ କଂଗ୍ରେସ ଦଳକୁ କେବଳ ସମ୍ବଲପୁର ନୁହେଁ ସମଗ୍ର ଜିଲ୍ଲାରେ ସୁଦୃଢ଼ କରିବ । ଶ୍ରୀ ପ୍ରଧାନ ଦଳରେ ଯୋଗଦାନ ପରେ ନିଜର ମତ ରଖି କହିଥିଲେ ଦେଶର ଗଣତନ୍ତ୍ର, ସମ୍ବିଧାନକୁ ସୁରକ୍ଷା ଦେବାରେ କଂଗ୍ରେସ ଦଳର ଲଢ଼େଇରେ ମୁଁ ସାମିଲ ହୋଇ ବହୁତ ଖୁସି ଅନୁଭବ କରୁଛି । ଦେଶରେ ହିଂସା ଓ ବିଦ୍ୱେଷର ମାହୋଲକୁ ପ୍ରଶମିତ କରିବା ସହ ଧର୍ମନିରପେକ୍ଷତାକୁ ବଜାୟ ରଖିବା ପାଇଁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ଓ ନ୍ୟାୟ ଯାତ୍ରା ମୋତେ ପ୍ରଭାବିତ କରିଥିଲା । ଆଜି କଂଗ୍ରେସ ଦଳରେ ଯୋଗଦେବା ମୋ ଜୀବନର ଏକ ସୁଖଦ ଦିନ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଆଜିର ଏହି ମିଶ୍ରଣପର୍ବ କାର୍ଯ୍ୟକ୍ରମରେ ପିସିସି ସାଧାରଣ ସଂପାଦକ ତରୁଣକାନ୍ତ ମିଶ୍ର, ପିସିସି ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା ଉପସ୍ଥିତ ଥିଲେ ।