୧୨ଟି ବିଭାଗର ୧୭ଟି ପ୍ରସ୍ତାବକୁ ଅନୁମୋଦନ

ଓଡିଶା ପୋଷାକ ଓ ବୈଷୟିକ ବୟନଶିଳ୍ପ ନୀତି-୨୦୨୨ କ୍ୟାବିନେଟରେ ଅନୁମୋଦିତ
ନୂତନ ପର୍ଯ୍ୟଟନ ନୀତି-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ
ଭୁବନେଶ୍ୱର, ୩୦ ନଭେମ୍ବର – ମଙ୍ଗଳବାର ସଂଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟର ୫୨ତମ ବୈଠକରେ ୧୨ଟି ବିଭାଗର ୧୭ଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ରାଜ୍ୟ କ୍ୟାବିନେଟ ବୈଠକର ନିଷ୍ପତି ସମ୍ପର୍କରେ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲିକ ଗୃହରେ ଏହି ସୂଚନା ଦେଇଛନ୍ତି ।
ପ୍ରଶ୍ନୋତର କାର୍ଯ୍ୟକ୍ରମ ପରେ ବାଚସ୍ପତି ଶ୍ରୀମତୀ ମଲିକଙ୍କୁ ଏ ସମ୍ପର୍କରେ ସୂଚନା ଦେବାକୁ କହିଥିଲେ । ଏହା ପରେ ଶ୍ରୀମତୀ ମଲିକ ଏ ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ ।
ସେ କହିଛନ୍ତି ଯେ ଓଡିଶା ପୋଷାକ ଓ ବୈଷୟିକ ବୟନଶିଳ୍ପ ନୀତି-୨୦୨୨ କ୍ୟାବିନେଟରେ ଅନୁମୋଦନ ଲାଭ କରିଛି । ଏହି ନୀତି ଓଡିଶାରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଆନୁସଂଗିକ ଶିଳ୍ପ ପ୍ରତିଷ୍ଠାରେ ସହାୟକ ହେବ । ଏହି ନୀତିରେ ପୁଞ୍ଜି ବିନିଯୋଗ ସହାୟତା, ନିଯୁକ୍ତି ସହାୟତା ତଥା ବଜାର ବିକାଶ ସହାୟତା ନିମନ୍ତେ ପ୍ରୋତ୍ସାହନର ବ୍ୟବସ୍ଥା ରଖାଯାଇଛି ।
ସେ କହିଛନ୍ତି ଯେ ଓଡିଶା କାରଖାନା ଓ ବାଷ୍ପିତ୍ର ନିରୀକ୍ଷଣ ସେବା (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ସଂଶୋଧନ ନିୟମାବଳୀ-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ତଦନୁଯାୟୀ ଏହି ସେବାର ମୂଳ ପଦବୀ ଆସିଷ୍ଟାଂଟ ଡାଇରେକ୍ଟର ଚୟନ ଲାଗି ଲିଖିତ ଓ ସାକ୍ଷାତକାର ପରୀକ୍ଷା ଲୋକସେବା ଆୟୋଗ ଦ୍ୱାରା କରାଯିବ ।
ସେ କହିଛନ୍ତି ଯେ ଓଡିଆ ଚଳଚ୍ଚିତ୍ର ‘ଦମନ’କୁ ଟିକସମୁକ୍ତ କରିବା ପାଇଁ ପୂର୍ବ ନିଷ୍ପତ୍ତି କ୍ୟାବିନେଟ ଦ୍ୱାରା ଅନୁମୋଦନ ଲାଭ କରିଛି ।
ସେ କହିଛନ୍ତି ଯେ ନୂତନ ପର୍ଯ୍ୟଟନ ନୀତି-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପୋତ୍ସାହିତ କରାଯିବା ସହିତ ହେଲ୍ଥ, ୱେଲନେସ ଓ ମେଡିକାଲ ଟୁରିଜିମ୍କୁ ପର୍ଯ୍ୟଟନ ଉଦ୍ୟୋଗ ଭାବେ ଅନୁମୋଦନ ଦେବା ପାଇଁ ବ୍ୟବସ୍ଥା ରହିଛି ।
ସେ କହିଛନ୍ତି ଯେ. ବିଭିନ୍ନ ପଦବୀରେ ଭର୍ତ୍ତି ନିମନ୍ତେ ଥିବା ଶାରୀରିକ ମାନକ ମାପ ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସମନ୍ୱିତ ନିଯୁକ୍ତି ପ୍ରକ୍ରିୟାର ନିୟମାବଳୀ-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ କରିଛି । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ‘ଖ’ ଓ ‘ଗ’ ବର୍ଗ ଅନ୍ତର୍ଗତ ବିଭିନ୍ନ ପଦବୀର ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏହାର ଲକ୍ଷ୍ୟ ।
ସେ କହିଛନ୍ତି ଯେ ଜୁନିଅର ଷ୍ଟେନୋଗ୍ରାଫର, ଜୁନିଅର ଟାଇପିଷ୍ଟ, ଡାଟା ଏଂଟ୍ରି ଅପରେଟର ଓ ଜୁନିଅର କ୍ଳର୍କ-କମ୍-ଟାଇପିଷ୍ଟ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ କରିଛି । ଏହାଦ୍ୱାରା ଏହି ପରୀକ୍ଷା ଗୁଡିକ ସୁବ୍ୟବସ୍ଥିତ ହେବା ସହିତ ପରୀକ୍ଷାର୍ଥୀ ଓ ରାଜ୍ୟ ସରକାରଙ୍କ ବ୍ୟୟ ଭାର ହ୍ରାସ ପାଇବ ।
ସେ କହିଛନ୍ତି ଯେ ଅମଳ ପରବର୍ତ୍ତୀ କ୍ଷତି ଏବଂ ଉଦ୍ୟାନ କୃଷି ଉତ୍ପାଦର ବ୍ରାଣ୍ଡିଂ, ପ୍ୟାକେଜିଂ ଓ ମାର୍କେଟିଂ କ୍ଷେତ୍ରକୁ ସହାୟତା ଯୋଗାଇବା ସହ କୃଷକ ମାନଙ୍କୁ ଆର୍ôଥକ ସହାୟତା ଦେବା ଉଦ୍ଦେଶ୍ୟରେ ଅମଳ ପରବର୍ତ୍ତୀ ପରିଚାଳନା ଏବଂ ଉଦ୍ୟାନ କୃଷିର ଅମଳ ପରବର୍ତ୍ତୀ ବିପଣନରେ ସହାୟତା ଯୋଜନାଟି କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହା ଗ୍ରାମାଞ୍ଚଳରେ ଚାଷୀଙ୍କ ରୋଜଗାର ବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଉଦ୍ୟାନ କୃଷିର ଦ୍ରୁତ ଆଧୁନିକୀକରଣରେ ସହାୟକ ହେବ ।
ସେ କହିଛନ୍ତି ଯେ ଓଡିଶାରେ ସଂଯୋଜନ କ୍ଷେତ୍ରର ବିକାଶ ପାଇଁ ଓଡିଶା ଲଜିଷ୍ଟିକ ପଲିସି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହା ବାଣିଜ୍ୟ ଓ ବାଣିଜ୍ୟ ପାଇଁ ଉପଯୁକ୍ତ ଗନ୍ତବ୍ୟସ୍ଥଳ ଭାବରେ ରାଜ୍ୟର ସ୍ଥିତିକୁ ସୁଦୃଢ କରିବ ଏବଂ ଯୋଗାଣ ଶୃଙ୍ଖଳକୁ ମଧ୍ୟ ମଜବୁତ କରିବ । ଏଥିରେ ସବୁଜ ଇନ୍ଧନର ବ୍ୟବହାରକୁ ମଧ୍ୟ ଉତ୍ସାହିତ କରାଯାଇଛି ।
ସେ କହିଛନ୍ତି ଯେ ଓଡିଶା ବେସାମରିକ ବିମାନ ଚଳାଚଳ ନୀତି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହା ଆଞ୍ଚଳିକ, ଘରୋଇ ତଥା ଆନ୍ତର୍ଜାତିକ ବିମାନ ସଂଯୋଗକୁ ସୁଦୃଢ କରିବା ସହ ରାଜ୍ୟରେ ଉତ୍ତମ ବ୍ୟବସାୟିକ ଓ ନିଯୁକ୍ତି ପରିବେଶ ସୃଷ୍ଟି କରିବ ।
ସେ କହିଛନ୍ତି ଯେ ରାଜ୍ୟ କ୍ୟାବିନେଟ ଏକ ନୂତନ ରେଜିଷ୍ଟର୍ଡ ଭେହିକିଲ ସ୍କ୍ରାପିଂ ପଲିସି ୨୦୨୨କୁ ଅନୁମୋଦନ କରିଛି । ଯାନବାହନ ଜନିତ ବାୟୁ ପ୍ରଦୁଷଣ କମ୍ କରିବାରେ ଏହି ନୀତି ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହାଦ୍ୱାରା ୧୫ ବର୍ଷ ପୂରଣ କରିଥିବା ସମସ୍ତ ପୁରୁଣା ଗାଡିକୁ ସ୍କ୍ରାପିଂ କେନ୍ଦ୍ରରେ ସ୍କ୍ରାପ କରିବାକୁ ପଡିବ । ସ୍କ୍ରାପିଂ କରିଥିବା ବ୍ୟକ୍ତିମାନଙ୍କୁ ନୂଆ ଗାଡି କିଣିବା ପାଇଁ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି ।
ସେ କହିଛନ୍ତି ଯେ ଓଡିଶା ଅକ୍ଷୟ ଶକ୍ତି ନୀତି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହି ନୀତି ଜରିଆରେ ୨୦୩୦ ସୁଦ୍ଧା ରାଜ୍ୟରେ ବିଭିନ୍ନ ଉତ୍ସରୁ ପ୍ରାୟ ୧୧ ହଜାର ମେଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ସେ କହିଛନ୍ତି ଯେ ଶିଳ୍ପ ନୀତି-୨୦୨୨କୁ ମଧ୍ୟ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ରାଜ୍ୟରେ ବଡ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଓଡିଶାକୁ ପୂର୍ବ ଭାରତର ଶିଳ୍ପ ହବ୍ କରିବା ଉପରେ ଏଥିରେ ଗୁରୁତ୍ୱ ଆରୋପ କରାଯାଇଛି । ଏହି ନୀତି ଅନୁଯାୟୀ ଶିଳ୍ପ ଗୁଡିକୁ ଥ୍ରଷ୍ଟ ସେକ୍ଟର , ପ୍ରାୟୋରିଟି ସେକ୍ଟର ଭାବରେ ବର୍ଗୀକୃତ କରାଯାଇଛି । ଏହି ନୂଆ ନୀତି ଅନୁଯାୟୀ ଏହି ଦୁଇ କ୍ଷେତ୍ରରେ ପ୍ରତିଷ୍ଠିତ ଶିଳ୍ପ ପାଇଁ ସର୍ବୋତ୍ତମ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି ।
ସେ କହିଛନ୍ତି ଯେ ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହି ନୀତି ଅନୁଯାୟୀ ଖାଦ୍ୟ ପ୍ରକ୍ରିୟାକରଣ ସହ ଜଡିତ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକୁ ଆବଶ୍ୟକ ଭିତ୍ତିଭୂମି ସହାୟତା ଓ ଆର୍ôଥକ ପ୍ରୋତ୍ସାହନ ଯୋଗାଇଦେବା ଏହି ନୀତିର ଲକ୍ଷ୍ୟ ।
ସେ କହିଛନ୍ତି ଯେ ଓଡିଶା ରପ୍ତାନୀ ପଲିସି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହି ନୀତି ଅନୁଯାୟୀ ରପ୍ତାନୀ ପ୍ରତିଯୋଗିତାରେ ଉନ୍ନତି ଆଣିବା ସହ ଓଡିଶାକୁ ଭାରତର ୫ଟି ଶ୍ରେଷ୍ଠ ରାଜ୍ୟରେ ସାମିଲ କରିବା ଏବଂ ୨୦୨୬-୨୭ ସୁଦ୍ଧା ୩.୫ ଲକ୍ଷ କୋଟି ଟଙ୍କାର ରପ୍ତାନୀ ଲକ୍ଷ୍ୟ ରଖାଯାଇଛି ।
ସେ କହିଛନ୍ତି ଯେ ଓଡିଶା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆସିଥିବା ବିଶୁଦ୍ଧ ପାନୀୟ ଜଳଯୋଗାଣ ସଂକ୍ରାନ୍ତୀୟ ଦୁଇଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ତଦନୁଯାୟୀ ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଚିକିଟି, ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ୍ର ୬୩ଟି ପଞ୍ଚାୟତ ଓ ୪୭୯ଟି ଗ୍ରାମରେ ଜେ.ଜେ.ଏମ୍ ଯୋଜନାରେ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥିନିମନ୍ତେ ୩୮୬ କୋଟି ୯୬ ଲକ୍ଷ ୪୦ ହଜାର ୫ ଟଙ୍କାର ସର୍ବନିମ୍ନ ନିବିଦାକୁ କ୍ୟାବିନେଟ ଅନୁମୋଦନ କରିଛି । ସେହିପରି ଦ୍ୱିତୀୟ ପ୍ରସ୍ତାବରେ ସୋନପୁର ଜିଲ୍ଲାର ତରଭା, ଉଲୁଣ୍ଡା, ସୋନପୁର ଓ ବୀରମହାରାଜପୁର ବ୍ଲକ୍ର ୬୪ଟି ଗ୍ରାମ ପଞ୍ଚାୟତର ୬୨୫ଟି ଗାଁରେ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ୫୫୩ କୋଟି ୮୫ ଲକ୍ଷ ୮୨ ହଜାର ୭୦୦ ଟଙ୍କାର ସର୍ବନିମ୍ନ ନିବିଦାକୁ କ୍ୟାବିନେଟ ଅନୁମୋଦନ କରିଛି ।
ସେ କହିଛନ୍ତି ଯେ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂଅର୍ଜନ ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ-୨୦୧୩ର ଧାରା-୨ର ଉପଧାରା-୨, ଧାରା-୧୪, ୧୯, ୨୪, ୨୫, ୪୬ ଓ ୮୭ର ସଂଶୋଧନକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ଏହାସହିତ ଉକ୍ତ ଆଇନରେ ଏକ ନୂତନ ଅଧ୍ୟାୟ ୩-ଏ, ନୂତନ ଧାରା ୧୦-ଏ ଓ ୩୩-ଏ କୁ ଅନ୍ତର୍ଭୁକ୍ତ କରିବାପାଇଁ ମଧ୍ୟ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି, ଦ୍ରୁତ ଶିଳ୍ପାୟନ ତଥା ଅଧିକରୁ ଅଧିକ ନିବେଶକ ମାନଙ୍କ ପାଇଁ ପୁଞ୍ଜି ନିବେଶ କରିବାର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି ।