ପାକିଡ଼ି ପାହାଡ଼ରେ ୧୨ ଟିକିଆ ହାତୀପଲ, ସାଧାରଣରେ ଭୟ

0

ଗଞ୍ଜାମ, ୮ ମାର୍ଚ୍ଚ – ଶେରଗଡ଼ ବନଖଣ୍ଡ ଅଧିନ ପାକିଡ଼ି ପାହାଡ଼ରେ ୧୨ ଟିକିଆ ହାତୀପଲ ମାସେ ହେଲା ଆଡ୍ଡା ଜମାଇଛନ୍ତି । ସଞ୍ଜ ହେଲେ ପାହାଡ଼ରୁ ତଳକୁ ଆସି ନିକଟସ୍ଥ ଲାଞ୍ଜିଆପଲ୍ଲୀ, ଅଶୋକପୁର, ଗୋବିନ୍ଦପୁର, କିର୍ତିପୁର, ନରେନ୍ଦ୍ରପୁର ଓ କ.ନୂଆଗଡ଼ ଗ୍ରାମରେ ପଶିବା ସହ ଫସଲ ଖାଇ ଓ ଦଳିଚକଟି ନଷ୍ଟ କରୁଛନ୍ତି । ଏଭଳି ପରିସ୍ଥିତିରେ ଗତ ରାତିରେ ହାତୀପଲ ଗୋବିନ୍ଦପୁର ଆସୁଥିବା ପ୍ରଚାର ହେବା ପରେ ଗାଁ ଛକରେ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ହୋ ହାଲ୍ଲା କରିଥିଲେ । ଫଳରେ ପ୍ରାୟ ଅଧ ଘଂଟା ଧରି ଶେରଗଡ଼-ହିଞ୍ଜିଳିକାଟୁ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା । ପାଟିତୁଣ୍ଡ ଶୁଣି ହାତୀପଲ ପୁଣି ଜଙ୍ଗଲମୁହାଁ ହୋଇଥିଲେ । ହାତୀପଲକୁ ଘଉଡାଇବାକୁ ବନ ବିଭାଗର ସ୍ଵତନ୍ତ୍ର ଟିମ୍ ନିୟୋଜିତ ହୋଇଛନ୍ତି । ହାତୀପଲ ଚଳପ୍ରଚଳ ବେଳେ ଆବଶ୍ୟକ ସ୍ଥଳେ ବିଦ୍ୟୁତ କାଟ ପାଇଁ ବନ ବିଭାଗ ପକ୍ଷରୁ ବିଦ୍ୟୁତ ବିଭାଗକୁ ସୂଚନା ଦିଆଯାଇଛି । ପାକିଡ଼ି ପାହାଡ଼ ପାଦ ଦେଶରେ ଥିବା ଗ୍ରାମ ଗୁଡିକରେ ହାତୀକୁ ନେଇ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ହାତୀପଲରେ ୪ଟି ମାଈ, ଦୁଇଟି ଅଣ୍ଡିରା ଏବଂ ୬ଟି ଛୁଆ ହାତୀ ରହିଛନ୍ତି ।

Leave a Reply

Your email address will not be published. Required fields are marked *