ବିଜେପି ବିଧାୟକ ପ୍ରାର୍ଥୀଙ୍କ ଅପରାଧିକ ମୁଖା ଖୋଲିଲା ବିଜେଡି

0

ସମ୍ବଲପୁର, ଏପ୍ରିଲ ୨୮ ଜିଲ୍ଲାରେ ଅପରାଧିକ ଷଡଯନ୍ତ୍ର ଠାରୁ ହତ୍ୟା ପର୍ଯ୍ୟନ୍ତ ସବୁ ଅପରାଧ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ବୋଲି ଅଭିଯୋଗ ଆଣିଛି ବିଜେଡି । ରାଜନୈତିକ ଛତ୍ରଛାୟା ତଳେ ରହି ମୁକ୍ତ ବିଚରଣ କରୁଥିବା ଜୟନାରାୟଣ ମିଶ୍ର ଜଣେ ବଡ ଅପରାଧୀ ଭାବେ ସର୍ବସାଧାରଣଙ୍କ ସାମ୍ନାକୁ ଆଣିବାକୁ ପ୍ରାଣମୂର୍ଚ୍ଚା ଉଦ୍ଯମ କରିଛି ବିଜେଡି। ବହୁ ଅପରାଧିକ ମାମଲାର ଦଣ୍ଡରୁ ବର୍ତ୍ତିବାକୁ ସେ ରାଜନୀତିର ଆଶ୍ରୟ ନେଇଛନ୍ତି । ତାଙ୍କ ନାଁରେ ଏବେବି ବରଗଡ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ଅପରାଧିକ ମାମଲା ରୁଜୁ ହୋଇଛି ବୋଲି ଆଜି ପୂର୍ବାହ୍ନରେ ବିଜେଡି ମୁଖପାତ୍ର ସଞ୍ଜୟ ବାବୁ ଗଣମାଧ୍ୟମକୁ ଏକ ପ୍ରତିକ୍ରିୟା ଦେଇଛନ୍ତି । ସମ୍ବଲପୁରର ବିଜେପି ବିଧାୟକ ପ୍ରାର୍ଥୀ ସାଜିଥିବା ଜୟନାରାୟଣଙ୍କ ଅପରାଧିକ ରେକର୍ଡ ଯାଞ୍ଚ କଲେ ଷଡଯନ୍ତ୍ର କରିବା, ଦଙ୍ଗା କରିବା ଭଳି ଅପରାଧ ଘଟାଇବା ସହିତ ହତ୍ୟାକାଣ୍ଡ ଭଳି ଜଘନ୍ୟ ଅପରାଧରେ ସେ ସଂଶ୍ଲିଷ୍ଟ ଥିବା ଆରୋପ ବିଜେଡି ଲଗାଇଛି । ତାଙ୍କ ବିରୋଧରେ ବରଗଡ ଜିଲ୍ଲା ସୋହେଲା ଥାନାରେ ଗୋଟିଏ, ପାଇକମାଳ ଥାନାରେ ଦୁଇଟି, ସମ୍ବଲପୁର ଜିଲ୍ଲା ଧନୁପାଲି ଥାନାରେ ସର୍ବାଧିକ ୫ ଟି ମାମଲା, ବୁର୍ଲା ଥାନାରେ ଦୁଇଟି ମାମଲା ଓ କ୍ଷେତରାଜପୁର ଥାନାରେ ଗୋଟିଏ ମାମଲା ରହିଛି । ଏପରିକି ୨୦୧୮ ମସିହାରେ ସୋହେଲା ଥାନାରେ ଜୟନାରାୟଣଙ୍କ ବିରୋଧରେ ହତ୍ୟାକାଣ୍ଡ ମାମଲା ରୁଜୁ କରାଯାଇଛି । ତାଙ୍କ ବିରୋଧରେ ଆଇପିସିର ଧାରା ୩୦୨ ଲାଗିଥିବା ମଧ୍ୟ ରେକର୍ଡ କହୁଛି । ଲୋକଙ୍କୁ ଜୀବନରୁ ମାରିଦେବାକୁ ଭଳି ଧମକ ଦେବା ମାମଲା ୬ ଥର, ମାଡପିଟ କରିବା ଓ ଅପରାଧିକ ବଳ ପ୍ରୟୋଗ କରିବା ମାମଲା ୭ ଥର, ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ ଭାଷା ପ୍ରୟୋଗ କରିବା କିମ୍ବା ଅଶ୍ଳୀଳ କାମ କରିବା ମାମଲାରେ ୫ଟି ଭଳି ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ଏତଦ୍ ବ୍ୟତୀତ ସର୍ବସାଧାରଣ ସ୍ଥଳରେ ମାରଣାସ୍ତ୍ର ବାହାର କରିବା, ନିଜର ମନମୁଖୀ କାର୍ଯ୍ୟପାଇଁ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇବା, ଲୋକଙ୍କୁ ଜୋର ଜବରଦସ୍ତି ଅଟକାଇବା, ଜନସେବକ ମାନଙ୍କ କାର୍ଯ୍ୟରେ ବାଧା ଦେବା, ଜୀବନରୁ ମାରିଦେବାକୁ ଧମକ ଦେବା, ଅପରାଧିକ ଷଡଯନ୍ତ୍ର କରିବା, ଦଙ୍ଗା କରିବା ପାଇଁ ଲୋକଙ୍କ ଉସୁକାଇବା, ଧର୍ମ ଆଧାରରେ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଉତ୍ପନ୍ନ କରିବାକୁ ଷଡଯନ୍ତ୍ର କରିବା, ଦଙ୍ଗା କରିବା, ମହାମାରୀ ବା ଲକଡାଉନ ସମୟରେ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଭଳି ମାମଲା ମଧ୍ୟ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ରହିଛି । ଏତେ ସବୁ ଅପରାଧିକ କାଣ୍ଡ ଭିଆଇଲା ପରେବି ବିଜେପି ଛତ୍ରଛାୟା ତଳେ ରହି ସେ କିପରି ଖୋଲାମେଲା ବୁଲି ପାରୁଛନ୍ତି ? ଜୟନାରାୟଣଙ୍କ ରାଜନେତା ମୁଖାତଳେ ଏକ ଜଘନ୍ୟ ଅପରାଧୀ ଲୁଚି ରହିଛି ଏକଥା ଜନସାଧାରଣ ଜାଣିବା ନିହାତି ଦରକାର ବୋଲି କହିଛନ୍ତି ବିଜେପି ମୁଖପାତ୍ର ସଞ୍ଜୟ ବାବୁ । ହିଂସା ଉପାୟରେ ମାଡପିଟ କରି, ଲୋକଙ୍କୁ ଡରାଇ ଧମକାଇ ନିର୍ବାଚନ ଲଢୁଥିବା ଜୟନାରାୟଣ ମିଶ୍ରଙ୍କୁ ଜନତା ଉଚିତ ଜବାବ ଦେବେ । ଶାନ୍ତ, ସମୃଦ୍ଧ ସମ୍ବଲପୁର ଗଢିବାକୁ ନିର୍ବାଚନ ବେଳେ ତାଙ୍କୁ ପ୍ରତ୍ୟାଖ୍ୟାନ କରିବେ ବୋଲି ସଞ୍ଜୟ ବାବୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବେ ଜଣେ ପ୍ରାର୍ଥୀଙ୍କ ପ୍ରତି ଏ ଭଳି ଗଣମାଧ୍ୟମ ସମ୍ମୁଖରେ ଖୁଲାମଖୋଲି ଆରୋପ ହେବାପରେ ଏହାକୁ ନେଇ କେତେକ ବିଜେପି କର୍ମୀ ଓ ସମର୍ଥକଙ୍କ ମହଲରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *