କଂଗ୍ରେସର କୃଷକଙ୍କ ପାଇଁ ଗ୍ୟାରେଂଟି :କୃଷକଙ୍କର କୃଷିଋଣ ଛାଡ଼ , କୃଷକଙ୍କ ପାଇଁ ମାସିକ ପେନସନ ୨ ହଜାର ଟଙ୍କା

0

ଭୁବନେଶ୍ୱର, 16 ମାର୍ଚ୍ଚ – ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗତକାଲି ସଶକ୍ତ ଓ ବିକାଶାଭୁମୁଖି ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ଏଥିରେ ସବୁବର୍ଗଙ୍କ ବିକାଶ ପାଇଁ ସଂକଳ୍ପ ନିଆଯାଇଛି । ରାଜ୍ୟର କୃଷି ଓ କୃଷକର ବିକାଶ ପାଇଁ କଂଗ୍ରେସ ଦଳ ୨୦୨୪ ନିର୍ବାଚନରେ ଯେଉଁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି, ଏହା ସଂପୂର୍ଣ୍ଣ ଭାବେ କୃଷି ଓ କୃଷକ ପାଇଁ ଶତପ୍ରତିଶତ ଗ୍ୟାରେଂଟି ବୋଲି ଶନିବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ କହିଛନ୍ତି । ନିର୍ବାଚନୀ ଇସ୍ତାହାର ଅନୁଯାୟୀ କଂଗ୍ରେସ ସରକାର ଗଠନ ହେବାପରେ କୃଷକଙ୍କର ଅର୍ଥନୈତିକ ପ୍ରଗତୀ ପାଇଁ ବୋନସ ସହ ଧାନର କ୍ରୟ ମୂଲ୍ୟ କିଂଟାଲ ପ୍ରତି ୩ ହଜାର ଟଙ୍କା, କୃଷି ଋଣ ଛାଡ଼, କୃଷକଙ୍କ ପାଇଁ ମାସିକ ପେନସନ ୨ ହଜାର ଟଙ୍କା ଗ୍ୟାରେଂଟି ଦିଆଯାଇଛି । ଏତଦବ୍ୟତୀତ ଖରିଫରେ ୭୫% ଓ ରବିରେ ୨୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା, ରାଜ୍ୟର ଦକ୍ଷିଣ, ପଶ୍ଚିମ ଓ ଉତର ଭାଗରେ ତିନିଗୋଟି କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ପ୍ରତିଗାଁରେ ଗୋଟିଏ ବଡ଼ ପୋଖରୀ (ମହାବନ୍ଧ) ଖନନ କରାଯିବ । ଜଳସେଚନ ପାଇଁ ମାଗଣା ବିଜୁଳି, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ଧାନକଳ, ଅଟାକଳ, ଡାଲିକଳ ଓ ଶୀତଳକରଣ କେନ୍ଦ୍ର ସ୍ଥାପନ, ପ୍ରତ୍ୟେକ ଗାଁରେ ଗୋଶାଳା, ଆଂଚଳିକ ଭିତିରେ ସମ୍ବଳଥାଇ କୃଷିଭିତିକ ଶିଳ୍ପ ସ୍ଥାପନ, ସମସ୍ତ କୃଷି ଶ୍ରମିକ ମାନଙ୍କୁ ୨ ହଜାର ଟଙ୍କା ଭତା, ସୋଲାର ପମ୍ପସେଟରେ ୯୦ ପ୍ରତିଶତ ରିହାତି, ଦୁଗ୍ଧ, ମାଛ, ଅଣ୍ଡା ଉତ୍ପାଦନରେ ରାଜ୍ୟକୁ ସ୍ୱାବଲମ୍ବି କରାଯିବା ସହିତ କୃଷକ ପରିବାରର ଆୟ ୫ ବର୍ଷରେ ଦୁଇଗୁଣା ବୃଦ୍ଧି କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଦେଶର କୃଷକଙ୍କ ସାମଗ୍ରୀକ ବିକାଶ ପାଇଁ ଶ୍ରୀ ରାହୁଲ ଗାନ୍ଧୀ କେନ୍ଦ୍ରରେ କଂଗ୍ରେସ ସରକାର ଆସିବାପରେ ୫ଟି କୃଷକ ନ୍ୟାୟରେ ଚାଷୀଙ୍କ ଋଣ ଛାଡ଼, ନୂଆ ଆମଦାନୀ ରପ୍ତାନୀ ନୀତି ପ୍ରସ୍ତୁତ, କୃଷିଜାତ ସାମଗ୍ରୀ ଉପରୁ ଜିଏସଟି ହଟାଇ ଚାଷୀଙ୍କୁ ଜିଏସଟି ମୁକ୍ତ କରିବା ଏମଏସପିର ଆଇନଗତ ଗ୍ୟାରେଂଟି ଓ ସ୍ୱାମୀନାଥନ କମିଟି ସୁପାରିଶ ଆଧାରରେ ଏମଏସପି ପ୍ରଦାନ କରାଯିବ ବୋଲି ଗ୍ୟାରେଂଟି ଦେଇଛନ୍ତି ତାହାକୁ ଓଡ଼ିଶାର ଚାଷୀ ଦୃଢ଼ ସମର୍ଥନ ଜଣାଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *