୨୪ ବର୍ଷର ନବୀନ ସରକାର ଶାସନରେ ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ : କଂଗ୍ରେସ

0

ଭୁବନେଶ୍ୱର, ତା. ୦୯.୦୪ : ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ପ୍ରତ୍ୟେକ ଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଧର୍ଷଣ, ଚୋରୀ ଡକାୟତି, ରାଜନୈତିକ ହିଂସା ଆଦି ବିଭିନ୍ନ ଘଟଣା ସାମ୍ନାକୁ ଆସୁଛି କିନ୍ତୁ ଅପରାଧିକୁ ଧରିବାରେ ବିଫଳ ପୁଲିସ୍ । ଅପରାଧକୁ ନିୟନ୍ତ୍ରଣ କରିବା ଦିଗରେ ଅସଫଳ ରାଜ୍ୟରେ ଶାସନ କରୁଥିବା ନବୀନ ସରକାର । ଶାସକ ଦଳର ନେତା ଓ କର୍ମୀଙ୍କ ଇଙ୍ଗିତରେ ଘଟୁଛି ବିଭିନ୍ନ ଅପରାଧିକ ଘଟଣା କିନ୍ତୁ ଏ ସବୁକୁ ଘଂଟ ଘୋଡାଉଛି ପୁଲିସ ପ୍ରଶାସନ । ପିପିଲି ଗଣଧର୍ଷଣ ଇତିଶ୍ରୀ, ମାଧବୀଲତା, କୁନ୍ଦୁଲୀ, ସ୍ମିତାରାଣୀ, ମମିତା ମେହେର, ପରୀ ଏ ସମସ୍ତ ପ୍ରସଙ୍ଗରେ ନବୀନ ସରକାର ପିଡ଼ିତା ପରିବାରକୁ ନ୍ୟାୟ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଆୟୁଷ ଡାକ୍ତରାଣୀଙ୍କର ମର ଶରୀର ଏବେ ସୁଧା କ୍ରାଇମ୍‌ବ୍ରାଂଚ ଖୋଜିପାରୁନାହିଁ । ଏ ସବୁ ଘଟଣା ରାଜ୍ୟ ସରକାରଙ୍କର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠୁଛି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ।

            ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଭାରତ ବର୍ଷର ବିରଳତମ ଘଟଣା ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ୍ ସହଯୋଗୀ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଦିନ ଦ୍ୱିପହରେ ଗୁଳିକରି ହତ୍ୟା କରାଗଲା କିନ୍ତୁ ଆଜିପର୍ଯ୍ୟନ୍ତ ଏ ଘଟଣାର ପ୍ରଚ୍ଛଦପଟ୍ଟର ନାୟକକୁ ଚିହ୍ନଟ କରିବାରେ ଅସଫଳ ହୋଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହ ବିଭାଗର ମୁଖ୍ୟ ଭାବେ ସେ ଏ ପର୍ଯ୍ୟନ୍ତ ଘଟଣା ସମ୍ବନ୍ଧରେ ପଦୁଟିଏ ପାଟି ଖୋଲିଲେ ନାହିଁ । ଯେଉଁ ମୁଖ୍ୟମନ୍ତ୍ରୀ ନିଜର କ୍ୟାବିନେଟ୍ ସହଯୋଗୀଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ସେ ରାଜ୍ୟର ସାଢ଼େ ଚାରି କୋଟି ଓଡ଼ିଆ ଲୋକଙ୍କୁ କେଉଁ ପ୍ରକାର ସୁରକ୍ଷା ଦେବେ ଏହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରୁଛି । ଏ ସମସ୍ତ ଘଟଣା ମୁଖ୍ୟମନ୍ତ୍ରୀଙ୍କର ଅସହାୟତା ଦର୍ଶାଉଛି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ବିଜେଡ଼ି ଓ ବିଜେପିର ଅନୈତିକ ସଂପର୍କ ବା  ମେଂଟ ପରି ଓଡ଼ିଶା ସରକାରଙ୍କ ତଦନ୍ତକାରୀ ସଂସ୍ଥା କ୍ରାଇମ୍‌ବ୍ରାଂଚ ଓ କେନ୍ଦ୍ର ସରକାରଙ୍କର ତଦନ୍ତକାରୀ ସଂସ୍ଥା ସିବିଆଇ ଉଭୟଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅପରାଧି ଖସୁଛନ୍ତି । ଏନ୍‌ସିଆରବି ତଥ୍ୟ କହୁଛି ରାଜ୍ୟରେ ଦଣ୍ଡହାର ସାରା ଦେଶ ତୁଳନାରେ ସର୍ବନିମ୍ନ । କଂଗ୍ରେସ ପ୍ରଶ୍ନ କରିବାକୁ ଚାହୁଁଛି ଆୟୁଷ ଡାକ୍ତରାଣୀ ମାଧବୀଲତାଙ୍କ ଶବ କେଉଁଠି ? ମନ୍ତ୍ରୀ ନବ ଦାସଙ୍କ ପ୍ରକୃତ ହତ୍ୟାକାରୀକୁ ରାଜ୍ୟ ସରକାର କେବେ ଧରିବେ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମିଶ୍ର ।

            ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାସ ଓ ଇଂ ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ ।      

Leave a Reply

Your email address will not be published. Required fields are marked *