କେନ୍ଦ୍ର କ୍ୟାବିନେଟ ମଞ୍ଜୁରି: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଉପଭୋକ୍ତାଙ୍କୁ ୩୦୦ ଟଙ୍କାର ସବସିଡି ସୁବିଧା ଜାରି ରହିବ

0

ନୂଆଦିଲ୍ଲୀ, 08 ମାର୍ଚ : ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ)ର ହିତାଧିକାରୀମାନଙ୍କୁ ବାର୍ଷିକ ୧୨ଟି ସିଲିଣ୍ଡର ରିଫିଲ୍ ପର୍ଯ୍ୟନ୍ତ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ୩୦୦ ଟଙ୍କା (ଏବଂ ଆନୁପାତିକ ଭାବେ ୫ କିଲୋଗ୍ରାମ ସିଲିଣ୍ଡର ପାଇଁ ଆନୁପାତିକ ଭାବେ ପ୍ରୋ-ରେଟେଡ୍) ସବସିଡି ସୁବିଧା ଜାରି ରହିବ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ୨୦୨୪ ମାର୍ଚ୍ଚ ପହିଲା ସୁଦ୍ଧା ଦେଶରେ ୧୦.୨୭ କୋଟିରୁ ଅଧିକ ପିଏମୟୁୱାଇ ହିତାଧିକାରୀ ଅଛନ୍ତି।

୨୦୨୪-୨୫ ଆର୍ଥିକ ବର୍ଷରେ ଏହି ସୁବିଧା ପ୍ରଦାନ ପାଇଁ ସମୁଦାୟ ୧୨,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନାରେ ସବସିଡି ଅର୍ଥ ସିଧାସଳଖ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥାଏ।

ଗ୍ରାମୀଣ ଏବଂ ବଞ୍ଚିତ ଗରିବ ପରିବାର ପାଇଁ ସ୍ୱଚ୍ଛ ରୋଷେଇ ଇନ୍ଧନ ବା ଲିକ୍ୱିଫାଇଡ୍ ପେଟ୍ରୋଲିୟମ୍ ଗ୍ୟାସ୍ (ଏଲପିଜି) ଉପଲବ୍ଧ କରାଇବା ନିମନ୍ତେ କେନ୍ଦ୍ର ସରକାର ଗରିବ ପରିବାରର ବୟସ୍କ ମହିଳାମାନଙ୍କୁ ନଗଦ ଜମା ମୁକ୍ତ ଏଲପିଜି ସଂଯୋଗ ପ୍ରଦାନ କରିବାକୁ ମେ ୨୦୧୬ରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ ।

ଭାରତ ଏହାର ଆବଶ୍ୟକତାର ପ୍ରାୟ ୬୦ ପ୍ରତିଶତ ଏଲପିଜି ଆମଦାନୀ କରିଥାଏ। ପିଏମୟୁୱାଇ ହିତାଧିକାରୀମାନଙ୍କୁ ଏଲପିଜିର ଆନ୍ତର୍ଜାତିକ ମୂଲ୍ୟରେ ଦ୍ରୁତ ପରିବର୍ତ୍ତନର ପ୍ରଭାବରୁ ରକ୍ଷା କରିବା ଏବଂ ପିଏମୟୁୱାଇ ଉପଭୋକ୍ତାଙ୍କ ପାଇଁ ଏଲପିଜିକୁ ଅଧିକ ସୁଲଭ କରିବା ତଥା ସେମାନଙ୍କ ଦ୍ୱାରା ଏଲପିଜିର ନିରନ୍ତର ବ୍ୟବହାର ସୁନିଶ୍ଚିତ କରିବା ପାଇଁ ନିରନ୍ତର ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ସରକାର ମେ ୨୦୨୨ ରେ ପିଏମୟୁୱାଇ ଉପଭୋକ୍ତାଙ୍କୁ ବାର୍ଷିକ ୧୨ଟି ରିଫିଲ୍ (ଏବଂ ଆନୁପାତିକ ଭାବରେ ୫ କିଲୋଗ୍ରାମ ସଂଯୋଗ ପାଇଁ ଆନୁପାତିକ ଭାବରେ ପ୍ରୋ-ରେଟେଡ୍) ପାଇଁ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ୨୦୦/- ଟଙ୍କାର ଟାର୍ଗେଟ ସବସିଡି ସୁବିଧା ପ୍ରଦାନ ଆରମ୍ଭ କରିଥିଲେ । ଅକ୍ଟୋବର ୨୦୨୩ରେ, ସରକାର ବାର୍ଷିକ ୧୨ଟି ରିଫିଲ୍ (ଏବଂ ଆନୁପାତିକ ଭାବରେ ୫ କିଲୋଗ୍ରାମ ସଂଯୋଗ ପାଇଁ ପ୍ରୋ-ରେଟେଡ୍) ପାଇଁ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ଟାର୍ଗେଟ ସବସିଡିକୁ ୩୦୦ ଟଙ୍କାକୁ ବୃଦ୍ଧି କରିଥିଲେ। ୦୧.୦୨.୨୦୨୪ ସୁଦ୍ଧା, ପିଏମୟୁୱାଇ ଉପଭୋକ୍ତାଙ୍କ ପାଇଁ ଘରୋଇ ଏଲପିଜିର ପ୍ରଭାବୀ ମୂଲ୍ୟ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର (ଦିଲ୍ଲୀ) ପିଛା ୬୦୩ ଟଙ୍କା ରହିଛି ।

ପିଏମୟୁୱାଇ ଉପଭୋକ୍ତାଙ୍କ ହାରାହାରି ଏଲପିଜି ବ୍ୟବହାର ୨୦୧୯-୨୦ରେ ୩.୦୧ ରିଫିଲ୍ ରୁ ୨୯ ପ୍ରତିଶତ ବୃଦ୍ଧି ପାଇ ୨୦୨୩-୨୪ ପାଇଁ ୩.୮୭ ରିଫିଲ୍ (ଜାନୁଆରୀ ୨୦୨୪ ସୁଦ୍ଧା) କୁ ବୃଦ୍ଧି ପାଇଛି । ସମସ୍ତ ପିଏମୟୁୱାଇ ହିତାଧିକାରୀ ଏହି ଲକ୍ଷ୍ୟ ଆଧାରିତ ସବସିଡି ପାଇବା ପାଇଁ ଯୋଗ୍ୟ ଅଟନ୍ତି ।

Leave a Reply

Your email address will not be published. Required fields are marked *