ଫସଲ ବୀମା ବିବାଦର ଶୀଘ୍ର ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ତୋମାର

0

ନୂଆଦିଲ୍ଲୀ/ଭୁବନେଶ୍ୱର, 17 ନଭେମ୍ବର  – ଫସଲ ବୀମା ଯୋଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଓଡିଶାର ଚାଷୀଙ୍କୁ ଫସଲ ବୀମା ମିଳିଯିବ ବୋଲି କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି । ଗତକାଲି ଏହି ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୋମାରଙ୍କୁ ଭେଟି ଆଲୋଚନା କରିଥିଲେ ।

ଚିଠିରେ କେନ୍ଦ୍ର କୃଷି ମନ୍ତ୍ରୀ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବା ରାଜ୍ୟର ଦାୟିତ୍ୱ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଟେଣ୍ଡର ଜାରି କରିବା, ବୀମା କମ୍ପାନୀକୁ କ୍ଲଷ୍ଟର ଅଫ୍ ଡିଷ୍ଟ୍ରିକ୍ଟ ପ୍ରଦାନ କରିବା ଏବଂ ପ୍ରିମିୟମ ରେଟର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ତେବେ ଏଥିଲାଗି ଥିବା ସଠିକ୍ ନିୟମ ଓ ପ୍ରକ୍ରିୟାକୁ ରାଜ୍ୟ ସରକାର ଅନୁସରଣ କରିନାହାନ୍ତି ।ରାଜ୍ୟ ସରକାର ନିୟମ ଭାଙ୍ଗିବା କାରଣରୁ ରାଜ୍ୟରେ କୃଷି ବୀମା ମିଳିବାରେ ବିଳମ୍ବ ହୋଇଛି । ଓଡ଼ିଶାର ଅନେକ ମରୁଡିଗ୍ରସ୍ତ ଅଂଚଳର ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ଲାଗି କେନ୍ଦ୍ର କୃଷି ମନ୍ତ୍ରଣାଳୟର ବୈଷୟିକ ପରାମର୍ଶଦାତା କମିଟି ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରିଥିଲା । ଏହାସତ୍ୱେ ଚାଷୀଙ୍କୁ ବୀମା ରାଶି ମିଳି ନଥିଲା । ଏନେଇ ଦେଖାଦେଇଥିବା ବିବାଦର ତ୍ୱରିତ ସମାଧାନ ପାଇଁ ନିୟମାବଳୀ ନିର୍ଦ୍ଧାରଣ କରାଯାଇଛି । ଏହି ଆଧାରରେ ରାଜ୍ୟସ୍ତରରେ ବିବାଦଗୁଡିକର ସମାଧାନ ଲାଗି ରାଜ୍ୟ ସ୍ତରୀୟ ବୈଷୟିକ ପରାମର୍ଶଦାତା କମିଟି ରହିଛି । ସମସ୍ୟା ସମାଧାନ ହୋଇ ନ ପାରିଲେ କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି ନିକଟରେ ଉପସ୍ଥାପନ କରିବାର ନିୟମ ରହିଛି । ବୀମା କମ୍ପାନୀଗୁଡିକ ପକ୍ଷରୁ ବୀମାରାଶି ପ୍ରଦାନ କରାଯାଉଥିବା ବେଳେ ଚଳିତ ସପ୍ତାହ ମଧ୍ୟରେ ସମସ୍ତ ବିବାଦକୁ ସମାଧାନ କରାଯିବ ବୋଲି ଚିଠିରେ ଦର୍ଶାଯାଇଛି ।

Leave a Reply

Your email address will not be published. Required fields are marked *